ଅବ୍ୟୟ

🌱 ଯେଉଁ ପଦର ରୂପ, ବଚନ, କାଳ, ବିଭକ୍ତି, କାରକ, ଲିଙ୍ଗ ଆଦି ଭେଦରେ ଆଦୌ ପରିବର୍ତ୍ତନ ହୁଏ ନାହିଁ, ତାହାକୁ ଅବ୍ୟୟ ପଦ କୁହାଯାଏ ।
ଯଥା- ଓ, ଏବଂ, କିନ୍ତୁ, କଦାଚିତ୍, ସର୍ବଦା, ଯଥା, ତଥା, କ୍ଵଚିତ, ଇତ୍ୟାଦି ।
୧- ସଂଯୋଜକ ଅବ୍ୟୟ : ଯେଉଁ ଅବ୍ୟୟ ପଦଗୁଡ଼ିକ ଦୁଇ ବା ତତୋଽଧିକ ବା ବାକ୍ୟକୁ ସଂଯୋଗ କରନ୍ତି ସେଗୁଡ଼ିକୁ ‘ସଂଯୋଜକ ଅବ୍ୟୟ’ କୁହାଯାଏ ।
ଯଥା-‘ଓ’, ‘ଏବଂ’, ‘ଆଉ’, ‘ଆହୁରି’, ‘ପୁଣି’, ‘ଫେରେ’, ‘ମଧ୍ୟ’, ଇତ୍ୟାଦି ।
୨- ବିଯୋଜକ ଅବ୍ୟୟ : ଯେଉଁ ଅବ୍ୟୟଗୁଡ଼ିକ ଦୁଇଟି ପଦ ବା ଦୁଇଟି ବାକ୍ୟକୁ/ବାକ୍ୟର ଅର୍ଥକୁ ବିଯୋଗ କରନ୍ତି, ସେଗୁଡ଼ିକୁ ‘ବିଯୋଜକ’ ଅବ୍ୟୟ କୁହାଯାଏ ।
ଯଥା – କିନ୍ତୁ, ମାତ୍ର, ତଥାପି, ଅଥଚ, ପରନ୍ତୁ ଇତ୍ୟାଦି ।
୩- କାଳବୋଧକ ଅବ୍ୟୟ : ଯେଉଁ ଅବ୍ୟୟ ‘କାଳ’ ବା ସମୟକୁ ବୁଝାଏ, ତାହା ‘ସମୟବୋଧକ’ ବା ‘କାଳବୋଧକ’ ଅବ୍ୟୟ ।
ଯଥା- ତତ୍‌କ୍ଷଣାତ୍‌, ଏହିକ୍ଷଣି, ସର୍ବଦା, ସମ୍ପ୍ରତି, ଯେବେ, କେବେ,ଏବେ,ତେବେ, ଅଧୁନା, ହଠାତ୍‌, ଯେତେବେଳେ, ସେତେବେଳେ ଇତ୍ୟାଦି।
୪- ସମ୍ଭାବନାସୂଚକ ଅବ୍ୟୟ : ଯେଉଁ ଅବ୍ୟୟପଦ ସମ୍ଭାବନା ପ୍ରକାଶକରେ, ତାହାକୁ ‘ସମ୍ଭାବନାସୂଚକ’ ଅବ୍ୟୟ କହନ୍ତି ।
ଯଥା – ଯଦି, ଯେବେ, କାଳେ ଇତ୍ୟାଦି ।
୫- ନିଷେଧାର୍ଥକ ଅବ୍ୟୟ : ଯେଉଁ ଅବ୍ୟୟ ଦ୍ବାରା ନିଷେଧ ବା ବାରଣ ସୂଚିତ ହୁଏ ତାହାକୁ ‘ନିଷେଧାର୍ଥକ ଅବ୍ୟୟ’ କହନ୍ତି ।
ଯଥା – ନ, ନା, ନଚେତ ଇତ୍ୟାଦି ।
୬- ସାଦୃଶ୍ୟବୋଧକ ଅବ୍ୟୟ : ଯେଉଁ ଅବ୍ୟୟ ସାଦୃଶ୍ୟ ବୁଝାଇବାପାଇଁ ବ୍ୟବହୃତ ହୁଏ, ତାହାକୁ ‘ସାଦୃଶ୍ୟବୋଧକ’ ଅବ୍ୟୟ କୁହାଯାଏ ।
ଯଥା- ଯେପରି, ସେପରି, ଯଥା, ତଥା, ପ୍ରାୟ, ପରି, ଏମନ୍ତ, ଯେମନ୍ତ, , ତେମନ୍ତ, ଯେମିତି, ସେମିତି ଇତ୍ୟାଦି ।
୭- ଦୀପ୍‌ସାର୍ଥକ ଅବ୍ୟୟ : ଯେଉଁ ଅବ୍ୟୟ ବାରମ୍ବାର ଅର୍ଥ ପ୍ରକାଶ କରେ, ତାହାକୁ ‘ବୀପ୍‌ସାର୍ଥକ ଅବ୍ୟୟ’ କୁହାଯାଏ ।
ଯଥା- ବାରମ୍ବାର, ପୁନଃପୁନଃ, ଘନଘନ, ଲଗାତର, ଥରକୁଥର, ପୁନର୍ବାର,ମୃହୁର୍ମୁହଃ ଇତ୍ୟାଦି ।
୮- ବିକଳ୍ପାର୍ଥକ ଅବ୍ୟୟ ; ଯାହାଦ୍ୱାରା ବିକଳ୍ପ ଅର୍ଥ ପ୍ରକାଶପାଏ, ତାହାକୁ ‘ବିକଳ୍ପାର୍ଥକ ଅବ୍ୟୟ’ କହନ୍ତି ।
ଯଥା- କିମ୍ବା, ବା, ଅବା, ନତୁବା, ନୋହିଲେ, ନଚେତ୍ ଇତ୍ୟାଦି ।
୯- ସମ୍ମତିସୂଚକ ଅବ୍ୟୟ : ଯେଉଁ ଅବ୍ୟୟଦ୍ବାରା ସ୍ବୀକୃତି ବା ସମ୍ମତି ପ୍ରକାଶ ପାଏ, ତାହାକୁ ‘ସମ୍ମତିସୂଚକ’ ଅବ୍ୟୟ କହନ୍ତି ।
ଯଥା – ହଁ, ଆଜ୍ଞା,ଅବଶ୍ୟ, ନିଶ୍ଚୟ, ସିନା, ହାଁ ଇତ୍ୟାଦି ।
୧୦- ପ୍ରଶ୍ନସୂଚକ ଅବ୍ୟୟ : କାହାକୁ କିଛି ପ୍ରଶ୍ନ କରିବା ସମୟରେ ବ୍ୟବହାର ହେବା ଅବ୍ୟୟକୁ ‘ପ୍ରଶ୍ନସୂଚକ’ ଅବ୍ୟୟ କହନ୍ତି।
ଯଥା- କି, କଅଣ, ପରା, ତ, ଇତ୍ୟାଦି ।
୧୧- ହେତୁବୋଧକ ଅବ୍ୟୟ : ହେତୁ ବା କାରଣ ପ୍ରକାଶ କରୁଥିବା ଅବ୍ୟୟକୁ ‘ହେତୁବୋଧକ’ ଅବ୍ୟୟ କୁହାଯାଏ ।
ଯଥା- ଏଣୁ, ତେଣୁ, ସୁତରାଂ, ଅତଏବ, ଯେଣୁ ଇତ୍ୟାଦି ।
୧୨- ଆନୁକ୍ରମିକ ଅବ୍ୟୟ : ଯେଉଁ ଅବ୍ୟୟ ଦ୍ବାରା କାର୍ଯ୍ୟର କ୍ରମ ବୁଝାଯାଏ, ତାହାକୁ ‘ଆନୁକ୍ରମିକ’ ଅବ୍ୟୟପଦ କହନ୍ତି ।
ଯଥା- କ୍ରମେକ୍ରମେ, ଧୀରେଧୀରେ, ଆସ୍ତେଆସ୍ତେ ଇତ୍ୟାଦି ।
ଉଦାହରଣ – ରୋଗୀଟି ଆସ୍ତେଆସ୍ତେ ଆରୋଗ୍ୟ ଲାଭ କରୁଛି ।
୧୩- ସମ୍ବୋଧନସୂଚକ ଅବ୍ୟୟ : କାହାରିକୁ ସମ୍ବୋଧନ କରିବା ବା ଡାକିବା ପାଇଁ ବ୍ୟବହୃତ ଅବ୍ୟୟକୁ ‘ସମ୍ବୋଧନସୂଚକ’ ଅବ୍ୟୟ କୁହାଯାଏ ।
ଯଥା- ହେ, ଆହେ, ରେ, ଆରେ, ଗୋ, ଲୋ, ଆଗୋ, ବେ, ଆବେ, ହରହେ, ହରଗୋ ଇତ୍ୟାଦି ।
୧୪- ଶବ୍ଦାନୁକାରୀ ଅବ୍ୟୟ : ଶବ୍ଦ ବା ଧ୍ୱନିର ଅନୁକରଣରେ ଗଠିତ ଅବ୍ୟୟଗୁଡ଼ିକୁ ‘ଶବ୍ଦାନୁକାରୀ ଅବ୍ୟୟ’ କୁହାଯାଏ ।
ଯଥା- ଟକ୍‌ଟାକ୍, ମଟ୍ ମଟ୍, ଠଣଠଣ ଭଡଭଡ୍, ଭାଁଭାଁ,ଭୋଭୋ, କଟ୍‌କଟ୍, ଝଣଝଣ୍, ଠୋଠୋ, ପେଁପେଁ ମଡମଡ୍ ଇତ୍ୟାଦି ।
୧୫- ଭାବବାଚକ ଅବ୍ୟୟ : ଯେଉଁ ଅବ୍ୟୟ ଦ୍ବାରା ହର୍ଷ, ବିଷାଦ, ଘୃଣା ଓ ବିସ୍ମୟ ପ୍ରଭୃତି ମନରଭାବ ପ୍ରକାଶପାଏ, ତାହାକୁ ଭାବବାଚକ ଅବ୍ୟୟ କହନ୍ତି ।
ଯଥା- ଆହା, ଓ, ବାଃ, ଛି, ସାବାସ, କି, ବାହାବା ଇତ୍ୟାଦି । ଉଦାହରଣ – ଆହା, ରୋଗୀଟି କି କଷ୍ଟ ନପାଉଛି ।
୧୬- ବିଭକ୍ତିସୂଚକ ଅବ୍ୟୟ : ଦ୍ବାରା, ଠାରୁ, ଦେଇ, କର୍ତ୍ତକ ପ୍ରଭୃତି କେତେକ ଅବ୍ୟୟପଦ ଠିକ୍ ବିଭକ୍ତିପରି କାର୍ଯ୍ୟ କରିଥାଆନ୍ତି । ଏଗୁଡିକୁ ବିଭକ୍ତିସୂଚକ ଅବ୍ୟୟ କୁହାଯାଏ ।
ଉଦାହରଣ:
• ହତ୍ୟାକାରୀ ପୁଲିସ କର୍ତ୍ତକ/ଦ୍ଵାରା ଧରାହେଲେ ।
• ମୋ ଦେଇ ଏ କାମ ହେବନାହିଁ ।
୧୭- ପଦାନ୍ବୟୀ ଅବ୍ୟୟ : ବାକ୍ୟରେ ଗୋଟିଏ ପଦ ସହିତ ଅନ୍ୟ ପଦକୁ ଅନ୍ବିତ ବା ସମ୍ବନ୍ଧିତ କରୁଥିବା ଅବ୍ୟୟ ପଦକୁ “ପଦାନ୍ବୟୀ ଅବ୍ୟୟ” କୁହାଯାଏ । ଯଥା-
କ) ତୁମ ସହ ଆଉ ଜଣେ ଆସିବେ ।
ଖ) ତାଙ୍କ ବିନା ଏ କାମ ଅଧୁରା ରହିବ ।
ପ୍ରତି, ଅପେକ୍ଷା, ସହିତ, ପରି, ଭଳି,ବିନା, ଅପେକ୍ଷା ପ୍ରଭୃତି ଏସବୁ ଲାଗିଥୁଲେ ତାକୁ ପଦାନ୍ବୟୀ ଅବ୍ୟୟ ବୋଲି ଜାଣିବା | ‘ପରସର୍ଗାତ୍ମକ ଅବ୍ୟୟ ମଧ୍ୟ କୁହାଯାଏ।
୧୮- ଆଳଙ୍କାରିକ ଅବ୍ୟୟ : ବାକ୍ୟରେ ସୌନ୍ଦର୍ଯ୍ୟବୃଦ୍ଧି ଓ ପ୍ରକାଶଭଙ୍ଗୀର ଚମତ୍କାରିତା ପାଇଁ ବ୍ୟବହୃତ ଅବ୍ୟୟଗୁଡିକୁ ‘ଆଳଙ୍କାରିକ’ ଅବ୍ୟୟ କୁହାଯାଏ ।
ଯଥା – ତ, ଆଚ୍ଛା, ଯେ, ଟି, ପରା, ମ ଇତ୍ୟାଦି ।
୧୯- ପଦବିକାରମୂଳକ ଅବ୍ୟୟ :ଯେଉଁ କେତେକ ପଦ ବିକୃତ ଆକାରରେ ମୂଳ ପଦ ସହିତ ଯୁକ୍ତ ହୋଇ ସେହି ପଦର ଅର୍ଥକୁ ନୂତନ ରୂପ ଦିଅନ୍ତି, ସେହି ପଦକୁ ପଦ ବିକାରମୂଳକ ଅବ୍ୟୟ କହନ୍ତି ।
ଉଦାହରଣ :
(କ) ପାଠ ଶାଠ (ଶାଠର ଅର୍ଥ କିଛି ନାହିଁ)
(ଖ) ଜମି ଫମି (ଫମିର ଅର୍ଥ ନାହିଁ-ନିରର୍ଥକ)
(ଗ) ଗାଁ ଗଣ୍ଡା (ଗଣ୍ଡା-ଏଠାରେ ନିରର୍ଥକ)
୨୦- ଅନୁଭୂତିସୂଚକ ଅବ୍ୟୟ :ଯେଉଁ ଅବ୍ୟୟ ପଦ ଅନୁଭୂତିର ସୂଚନା ଦିଏ ବା ଅନୁଭୂତିକୁ ପ୍ରକାଶ କରେ, ତାକୁ ଅନୁଭୂତିସୂଚକ ଅବ୍ୟୟ କୁହାଯାଏ ।
ଯଥା, ଗଲଗଲ, ଖଲଖଲ, ସଲସଲ, କୁତୁକୁତୁ, କଲବଲ, ଛଟପଟ, କଲବଲ ଇତ୍ୟାଦି ।
୨୧- ସମୁଦାୟସୂଚକ ଅବ୍ୟୟ : ଯେଉଁ ଅବ୍ୟୟ ସମୁଦାୟର ସୂଚନା ଦେଉଥାଏ, ତାହାକୁ ଆମେ ସମୁଦାୟ ସୂଚକ ଅବ୍ୟୟ କହିବା ।
ଯଥା : ଓଗେର, ଇତ୍ୟାଦି ପ୍ରଭୃତି
ଉଦାହରଣ : ମାଧବ, ହରି, ଗୋବିନ୍ଦ, ଓଗେର ମିଳିମିଶି ଏ କାମ କରିଛନ୍ତି ।