✹ ସଂଜ୍ଞା : ଯେଉଁ ପଦ, ଅନ୍ୟପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣ (ନିର୍ଦ୍ଦିଷ୍ଟତା)କୁ ବିଶେଷିତ ବା ପ୍ରକାଶ କରେ; ତାହାକୁ ବିଶେଷଣ ପଦ କୁହାଯାଏ ।
(ବିଶେଷଣର ଅର୍ଥ ହେଉଛି ଅନ୍ୟ ପଦର ବିଶେଷତାକୁ ପ୍ରକାଶ କରିବା ।)
✹ ବିଶେଷଣର ପ୍ରକାର ଭେଦ-:ଏହି ବିଶେଷଣ ପ୍ରଧାନତଃ ତିନି ଶ୍ରେଣୀରେ ବିଭକ୍ତ, ଯଥା:-
(୧) ବିଶେଷ୍ୟର ବିଶେଷଣ(ନାମ ବିଶେଷଣ)
(୨) କ୍ରିୟା ବିଶେଷଣ
(୩) ବିଶେଷଣର ବିଶେଷଣ
(୧) ବିଶେଷ୍ୟର ବିଶେଷଣ(ନାମ ବିଶେଷଣ)-: ଯେଉଁ ବିଶେଷଣପଦ ବିଶେଷ୍ୟ/ସର୍ବନାମ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଆଦି ପ୍ରକାଶ କରି ବିଶେଷିତ କରେ, ତାହାକୁ ବିଶେଷ୍ୟର ବିଶେଷଣ କହନ୍ତି ।
ଯଥା- ଦୁଷ୍ଟ ପିଲା, ନୀଳ କଇଁ, ଅନ୍ଧ ବାଳକ, ପୁଳାଏ ମାଟି,ମୁକ୍ତ ବିହଙ୍ଗ, ଶହେ ଟଙ୍କା, କିଲେ ମାଛ, ବୃଦ୍ଧ ବ୍ୟକ୍ତି, ଶୁଭ ବସ୍ତ୍ର,ଦୁଇଟି କଲମ ଇତ୍ୟାଦି ।
🌟 ବିଶେଷଣପଦ ବିଶେଷ୍ୟପଦର ପୂର୍ବରୁ ବ୍ୟବହୃତ ହେଲେ, ତାକୁ ବିଶେଷ୍ୟର ବିଶେଷଣ କୁହାଯାଏ।
ଉଦାହରଣ:
• ମିଥ୍ୟାବାଦୀ ଲୋକକୁ କେହି ବିଶ୍ୱାସ କରନ୍ତି ନାହିଁ ।
🌟 ବିଶେଷଣପଦ ବିଶେଷ୍ୟପଦର ପରେ ବ୍ୟବହୃତ ହେଲେ ତାକୁ ବିଧେୟ ବିଶେଷଣ କହନ୍ତି ।
ଉଦାହରଣ:
• ରାମଚନ୍ଦ୍ର କୁପାଳୁ ଥିଲେ ।
• ତାଳଗଛଟି ଡେଙ୍ଗା ଅଟେ ।
(୨) କ୍ରିୟା ବିଶେଷଣ-: ଯେଉଁ ବିଶେଷଣପଦ କ୍ରିୟାପଦକୁ ବିଶେଷିତକରେ, ତାହାକୁ ‘କ୍ରିୟାବିଶେଷଣ’ କହନ୍ତି ।
ଯଥା—:
• ଘୋଡ଼ା ଚଞ୍ଚଳ ଦୌଡ଼ିପାରେ ।
• ପବନ ଧୀରେ ଧୀରେ ବହୁଅଛି ।
• ଦୀପଟି ମିଞ୍ଜିମିଞ୍ଜି ଜଳୁଛି ।
• କାଲି ତୁମେ ସଅଳ ଆସିବ ।
(୩) ବିଶେଷଣର ବିଶେଷଣ:- ଯେଉଁ ବିଶେଷଣ ପଦ ବାକ୍ୟରେ ଆଉ ଗୋଟିଏ ବିଶେଷଣ ପଦକୁ ବିଶେଷିତ କରେ ତାକୁ ବିଶେଷଣର ବିଶେଷଣ କହନ୍ତି |
ଉଦାହରଣ –
(କ) ବୈକୁଣ୍ଠ ବାବୁଙ୍କ ଝିଅ ଖୁବ୍ ଭଲ ପଢୁଛି ।
(ଖ) ବର୍ତ୍ତମାନ ଭାରି ଖରାପ ସମୟ ଦେଇ ମୁଁ ଗତି କରୁଛି ।
(ଗ) ଆମେ ଅତି ଭାଗ୍ୟବାନ ପିଲା ।
(୪) ଗୁଣବାଚକ ବିଶେଷଣ:- ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଗୁଣକୁ ପ୍ରକାଶ କରେ ତାକୁ ଗୁଣବାଚକ ବିଶେଷଣ କୁହାଯାଏ ।
ଯଥା—ରକ୍ତ ମନ୍ଦାର, ମଧୁର ବଚନ, ମହତ୍ ଜନ, ନୀଳ ନୟନ, ପଣ୍ଡିତ ଲୋକ, ଦୟାଳୁ ରାଜା, ବିକାଶଶୀଳ ରାଷ୍ଟ୍ର, ଜନପ୍ରିୟ ନେତା, ମିଥ୍ୟାବାଦୀ ମଣିଷ, ଭୋକିଲା ଭିକାରି । ନୀଳ ଅକ୍ଷରର ପଦଗୁଡ଼ିକ ବିଶେଷଣ ପଦ ।
(୫) ଅବସ୍ଥାବାଚକ ବିଶେଷଣ:- ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ ଅବସ୍ଥାକୁ ବୁଝାଏ (ସୂଚିତ କରେ) ତାକୁ ଅବସ୍ଥା ବାଚକ ବିଶେଷଣ କୁହାଯାଏ ।
ଉଦାହରଣ – ଖସଡ଼ା ବାଟ, ଗରିବ ଲୋକ, ଛିଣ୍ଡାଲୁଗା, ତଟକା ମାଛ, ଦଦରା ନାବ, ଭଙ୍ଗା ଖଟ, ବୃଦ୍ଧ ଲୋକ ।
(୬)ସଂଖ୍ୟାବାଚକ ବିଶେଷଣ :– ଯେଉଁ ବିଶେଷଣ ପଦ, ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ ସଂଖ୍ୟାକୁ ସୂଚିତ କରିଥାଏ, ତାକୁ ସଂଖ୍ୟା ବାଚକ ବିଶେଷଣ କୁହାଯାଏ ।
ଉଦାହରଣ – ତିରିଶ ଟଙ୍କା, ନବେ ବର୍ଷ, ପଚାଶ ଜଣ, ସାତସମୁଦ୍ର ପ୍ରଭୃତି ପଦଗୁଡ଼ିକୁ ସଂଖ୍ୟା ବାଚକ ବିଶେଷଣ ବୋଲି ଗ୍ରହଣ କରାଯିବ ।
(୭) ପୂରଣବାଚକ ବିଶେଷଣ:– ଏକ, ଦୁଇ, ତିନି ପ୍ରଭୃତି ସଂଖ୍ୟାବାଚକ ଶବ୍ଦମାନଙ୍କରୁ ଉତ୍ପନ୍ନ ଅଥଚ ଗୋଟିଏ ବ୍ୟକ୍ତି ବା ବସ୍ତୁକୁ ନିର୍ଦ୍ଦେଶ କରୁଥିବା ବିଶେଷଣ ପଦକୁ ପୂରଣବାଚକ ବିଶେଷଣ କହନ୍ତି ।
ଯଥା— ପ୍ରଥମ ପରୀକ୍ଷା, ଦ୍ବିତୀୟ ଧାଡ଼ି, ତୃତୀୟ ପାଣ୍ଡବ, ଚତୁର୍ଥ ଝିଅ, ଅଷ୍ଟାଦଶ ଅଧ୍ୟାୟ, ପଞ୍ଚମ ବେଦ ପ୍ରଭୃତି ପୂରଣବାଚକ ବିଶେଷଣ ।
(୮) ପରିମାଣବାଚକ ବିଶେଷଣ:– ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଇଥାଏ, ତାହାକୁ ପରିମାଣ ବାଚକ ବିଶେଷଣ କହନ୍ତି ।
ଯଥା— କିଲେ ମାଛ, ଟିକିଏ ଲୁଣ, ବୋତଲେ ଘିଅ,
ଏକରେ ଜମି, ସେରେ ଚାଉଳ ।
(୯) କ୍ରିୟାଜ ବା କ୍ରିୟାଜାତ ବିଶେଷଣ:– କ୍ରିୟାରୁ ଜାତ ବା କ୍ରିୟାରୁ ଗଠିତ ପଦ ବିଶେଷ୍ୟ ପଦର ଗୁଣ ବା ଅବସ୍ଥାକୁ ବିଶେଷିତ କରୁଥୁଲେ ତାକୁ କ୍ରିୟା ବାଚକ ବିଶେଷଣ କୁହାଯାଏ ।
ଯଥା:
(କ) ଗରଜିଲା ମେଘ ବରଷେ ନାହିଁ ।
(ଖ) ଗୋପାଳ ଚଳନ୍ତା ଗାଡ଼ିରୁ ଖସିପଡ଼ିଲା ।
(ଗ) ଖାଇଲା ପୁଅ ରଙ୍କ ।
(ଘ) ଶୋଇଲା ପୁଅର ଭାଗ ନାହିଁ ।
(୧୦) ତୁଳନାତ୍ମକ ବିଶେଷଣ:– ଯେଉଁଟି ଦୁଇ ବା ତତୋଽଧିକ ବିଶେଷ୍ୟ ମଧ୍ୟରେ ତୁଳନା କରାଯାଏ, ସେଠାରେ ତୁଳନା ବୁଝାଉଥବା ଗୋଟିକିଆ ପଦର ପ୍ରୟୋଗ ହୁଏ । ଏହି ତୁଳନା ବୁଝାଉଥିବା ଗୋଟିକିଆ ପଦକୁ ତୁଳନାତ୍ମକ ବିଶେଷଣ କୁହାଯାଏ ।
ଯଥା:
• ହିମାଳୟ ପୃଥିବୀର ଉଚ୍ଚତମ ପର୍ବତ ।
• ବେଦ ହେଉଛି ପୃଥିବୀର ପ୍ରାଚୀନତମ ଗ୍ରନ୍ଥ ।
(୧୧) ସାର୍ବନାମିକ ବିଶେଷଣ:– ଯେଉଁ ସର୍ବନାମପଦ ବିଶେଷଣ ରୂପେ ବ୍ୟବହୃତ ହୋଇଥାଏ ତାକୁ ସାର୍ବନାମିକ ବିଶେଷଣ କୁହାଯାଏ ।
ଯଥା:
(କ) ଯେଉଁ ଘରେ ଧନ ଅଛି, ସେହି ଘରେ ଚୋର ପଶିବେ ।
(ଖ) ସେ କଥା ମୋତେ ଶୁଣାଅନା ।
(୧୨) ଅବ୍ୟୟର ବିଶେଷଣ:– ଯେଉଁ ବିଶେଷଣ ପଦ ବାକ୍ୟରେ ଥିବା ଅବ୍ୟୟ ପଦର ଅର୍ଥକୁ ବିଶେଷ ଭାବରେ ଦେଖାଏ ବା ବିଶେଷିତ କରେ ତାକୁ ଅବ୍ୟୟ ବିଶେଷଣ କୁହାଯାଏ।
ଉଦାହରଣ—
(କ)ମୋତେ ଦିଶିଲା, ଠିକ୍ ଯେପରି ଭୂତଟାଏ ମୋ ଆଡ଼କୁ ଆସୁଛି ।
ଏଠାରେ ଠିକ୍— ବିଶେଷଣ ପଦ
ଯେପରି– ଅବ୍ୟୟ ପଦ
[ଠିକ୍ ବିଶେଷଣ ପଦଟି ଯେପରି ଅବ୍ୟୟକୁ ବିଶେଷିତ କରୁଛି ।]
(୧୩) ବିଶେଷ୍ୟରୂପୀ ବିଶେଷଣ:- ଯେଉଁ ବିଶେଷ୍ୟ ପଦ ବିଶେଷଣ ରୂପେ ବ୍ୟବହୃତ ହୁଏ ତାକୁ ବିଶେଷ୍ୟ ରୂପୀ
ବିଶେଷଣ କୁହାଯାଏ ।
ଯଥା— ସୁନା ମୁଦି, କାଠଖୁଣ୍ଟ, ନଡ଼ା ଚାଳ, ବେତ ପେଡ଼ି,
ରୂପା ମୁକୁଟ– ଆଦି ବିଶେଷ୍ୟ ହୋଇମଧ୍ୟ ବିଶେଷିତ କରୁଥିବାରୁ ବିଶେଷଣ ହୋଇଛି ।
(୧୪) ବିଶେଷଣର ବିଶେଷ୍ୟ:- ଓଡ଼ିଆ ବାକ୍ୟଗୁଡ଼ିକରେ ବିଭିନ୍ନ ବିଶେଷଣ ପଦକୁ ବିଶେଷ୍ୟ ରୂପେ ବ୍ୟବହାର କରାଯାଏ ।
ଯଥା:
(କ) ଦିନେ ନା ଦିନେ ଅତ୍ୟାଚାରୀର ବିନାଶ ଘଟେ ।
(ଖ) ସୁନ୍ଦର ତୃପ୍ତିର ଅବସାଦ ନାହିଁ ।
(ଗ) ସବୁଠାରେ ଦରିଦ୍ର ଉପହାସର ପାତ୍ର ହୁଏ ।
(୧୫) ସାମ୍ବନ୍ଧିକ ବିଶେଷଣ :– ଯେଉଁ ବିଶେଷ୍ୟ ପଦ ୬ଷ୍ଠୀ ବିଭକ୍ତି ଯୁକ୍ତ ହୋଇ ବିଶେଷଣ ରୂପେ ବ୍ୟବହୃତ ହୁଅନ୍ତି, ସେଗୁଡ଼ିକୁ ସାମ୍ବନ୍ଧିକ ବିଶେଷଣ ବା ସମ୍ବନ୍ଧସୂଚକ ବିଶେଷ୍ୟ କୁହାଯାଏ ।
ଉଦାହରଣ—
(କ) ରାମବାବୁ ଜଣେ ଜାଣିବାର ଲୋକ ।
(ଖ) ଖାଇବାର ପୁତ୍ର ଗଲା ମଥୁରାପୁରକୁ ।
(ଗ) ତା’ପରି ଗୁଣର ପିଲା ମୁଁ ଦେଖୁନାହିଁ ।